ବିବିଧ-ପାଠ-୨

ମସ୍ତକ ଦେହର ଉତ୍ତମ ଅଙ୍ଗ । ପ୍ରତିହସ୍ତରେ ପାଞ୍ଚ ଆଙ୍ଗୁଳି । ପ୍ରତିପାଦରେ ପାଞ୍ଚ
ଆଙ୍ଗୁଳି । ମନୁଷ୍ୟର ଦୁଇଟି ବାହୁ, ଦୁଇଟି ହସ୍ତ, ଦୁଇଟି ପାଦ, ଦୁଇଟି ଚକ୍ଷୁ, ଦୁଇଟି କର୍ଣ୍ଣ, ଦୁଇଟି
ଓଷ୍ଠ । ନାସିକାରେ ଦୁଇଟି ରନ୍ଧ୍ର ଅଛି । ଉଦରରେ ପାକଯନ୍ତ୍ର ଅଛି । ମସ୍ତକରୁ ପାଦ ପର୍ଯ୍ୟନ୍ତ ସମସ୍ତ ଦେହରେ ରକ୍ତ ପ୍ରବାହିତ ହେଉଅଛି । କିଏ ତମ୍ଭଙ୍କୁ ଓ ଆଉ ସବୁ ଜୀବମାନଙ୍କୁ ସୃଷ୍ଟି କରିଅଛନ୍ତି ? କିଏ ତୁମ୍ଭଙ୍କୁ ଦେଖିବା ପାଇଁ ଚକ୍ଷୁ, ଶୁଣିବା ପାଇଁ କର୍ଣ୍ଣ, ଶୁଙ୍ଘିବା ପାଇଁ ନାସିକା, ସ୍ବାଦ ବାରିବା ପାଇଁ ଜିହ୍ବା, କଥା କହିବା ପାଇଁ ମୁଖ, ପଦାର୍ଥମାନଙ୍କୁ ଧରିବାପାଇଁ ହସ୍ତ, ଏକ ସ୍ଥାନରୁ ଅନ୍ୟସ୍ଥାନକୁ ଯିବା ପାଇଁ ପାଦ ଦେଇଅଛନ୍ତି ?
କିଏ ତୁମ୍ଭକୁ ଭଲ, ମନ୍ଦ, ନ୍ୟାୟ, ଅନ୍ୟାୟ ବିଚାର କରିବାପାଇଁ ବୁଦ୍ଧି ଦେଇଅଛନ୍ତି ? ପରମେଶ୍ବର ତୁମ୍ଭଙ୍କୁ ସୃଷ୍ଟି କରିଅଛନ୍ତି, ତୁମ୍ଭଙ୍କୁ ସର୍ବଦା ରକ୍ଷା କରୁଅଛନ୍ତି । ଆହା, ତାଙ୍କର ଦୟା କିଏ ବର୍ଣ୍ଣିପାରିବ !


ସୂର୍ଯ୍ୟ ଆମ୍ଭମାନଙ୍କୁ ଆଲୁଅ ଓ ଉତ୍ତାପ ଦେଉଅଛନ୍ତି । ସୂର୍ଯ୍ୟ ନ ଥିଲେ ସଂସାର ଅନ୍ଧକାରମୟ ଓ ଅତି ଶୀତଳ ରହିଥାନ୍ତା । ପୃଥିବୀରେ ଜୀବ ଜନ୍ତୁ ବୃକ୍ଷ ଲତା କିଛି ଜନ୍ମି ପାରନ୍ତା ନାହିଁ । ସୂର୍ଯ୍ୟ ପୃଥିବୀଠାରୁ ଅତି ବୃହତ୍ । ପୃଥିବୀ ସୂର୍ଯ୍ୟର ଚତିର୍ଦ୍ଦିଗରେ ବର୍ଷକରେ ଥରେ ବୁଲେ ।


ରାତ୍ରିକାଳରେ ଚନ୍ଦ୍ର ଉଜ୍ବଳ ଦେଖାଯାଏ । ଚନ୍ଦ୍ର କ୍ରମେ କ୍ରମେ ବଢ଼ୁଥାଏ । ଯେଉଁଦିନ ସେ ସମ୍ପୁର୍ଣ୍ଣ ଗୋଲ ହୁଏ ବା ପୂର୍ଣ୍ଣଚନ୍ଦ୍ର ହୁଏ, ସେଦିନ ପୂର୍ଣ୍ଣିମା । ଯେଉଁଦିନ ଚନ୍ଦ୍ର ଏକାବେଳକେ ଦେଖାଯାଏ ନାହିଁ, ତାହାକୁ ଅମାବାସ୍ୟା କହନ୍ତି । ଚନ୍ଦ୍ରର ନିଜର ଆଲୁଅ ନାହିଁ । ଯେଉଁ ଆଲୁଅକୁ ଜ୍ୟୋତ୍ସ୍ନା ବୋଲାଯାଏ, ତାହା ଚନ୍ଦ୍ର ସୂର୍ଯ୍ୟଠାରୁ ପାଏ । ଚନ୍ଦ୍ର ପୃଥିବୀ ଅପେକ୍ଷା କ୍ଷୁଦ୍ର ।
ଚନ୍ଦ୍ର ପୃଥିବୀ ଚାରିପଟେ ମାସକେ ଥରେ ବୁଲେ ।


ସୂର୍ଯ୍ୟ ଯେଉଁ ଦିଗରେ ଉଁଏ, ତୁମେ ସେହିଦିଗକୁ ଅନାଇଅଛ । ସେହି ଦିଗ ପୂର୍ବଦିଗ । ତୁମର ଦକ୍ଷିଣହସ୍ତ ଦକ୍ଷଣଦିଗକୁ ଅଛି, ବାମହସ୍ତ ଉତ୍ତରଦିଗକୁ ଅଛି, ଏବଂ ତୁମର ପଛଆଡ଼େ ପଶ୍ଚିମ ଦିଗ ।


ତୁମେ ପଶ୍ଚିମ ଦିଗକୁ ଅନାଇ ଠିଆ ହେଲେ ତୁମର ଦକ୍ଷିଣ ହସ୍ତ କେଉଁ ଦିଗକୁ ହେବ ? ତୁମେ ଦକ୍ଷିଣ ଦିଗକୁ ଅନାଇ ଠିଆ ହେଲେ ତୁମର ବାମ ହସ୍ତ କେଉଁ ଦିଗକୁ ହେବ ? ତୁମେ ଉତ୍ତର ଦିଗକୁ ଅନାଇ ଠିଆ ହେଲେ ତୁମର ପିଠି କେଉଁ ଦିଗକୁ ରହିବ ?


ଦିନ ରାତି ମିଶି ଦିବସ ଏକ, ସାତ ଦିବସରେ ସପ୍ତାହ ଲେଖ ।
ସପ୍ତାହରେ ସାତବାରର ନାମ, ମନେ ସଦା ରଖିଥିବ ହେ ରାମ ।
ରବି ପରେ ସୋମ, ତା'ପରେ ମଙ୍ଗଳ, ତା'ପରେ ଯେ ବୁଧବାର ।
ଗୁରୁ, ଶୁକ୍ର, ଶନି ଆସେ ତାହା ପରେ, ସାତ ବାର ଏପ୍ରକାର ।
ପନ୍ଦର ଦିନକୁ ଏକ ପକ୍ଷ ବୋଲି, ଦୁଇ ପକ୍ଷେ ଏକ ମାସ ।
ଦୁଇ ମାସ ମିଳି ଏକ ଋତୁ ହୁଏ, ମନେ ରଖ ପୀତବାସ ।
ଶୁକ୍ଳ ପକ୍ଷେ ଚନ୍ଦ୍ର ପ୍ରତି ଦିବସରେ ବଢ଼ଇ ପୂର୍ଣ୍ଣିମା ଯାଏ ।
କୃଷ୍ଣ ପକ୍ଷେ ପୁଣି ଅମାବାସ୍ୟା ଯାଏ, ଅଳ୍ପେ ଅଳ୍ପେ ଛିଡ଼ୁଥାଏ ।
ଦ୍ବାଦଶ ମାସରେ ଛଅଋତୁ ହୁଏ, କେ କହିପାରିବ କହ ।
ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶଶିର, ବସନ୍ତ ଋତୁ ଏ ଛଅ ।

ଗ୍ରୀଷ୍ମେ ବୌଶାଖ ଜ୍ୟେଷ୍ଠ ମାସ, ପ୍ରଚଣ୍ଡ ରୌଦ୍ର ପରକାଶ ।
ବର୍ଷାରେ ଆଷାଢ଼ ଶ୍ରାବଣ, ମେଘ ବରଷେ ଘନ ଘନ ।
ଭାଦ୍ର, ଆଶ୍ବିନ, ଶରତରେ, ନର୍ମଳ ଶୋଭା ଜଗତରେ ।
ହିମେ କାର୍ତ୍ତିକ ମାର୍ଗଶିର, ରାତିରେ ପଡ଼ଇ ଶିଶିର ।
ଶୀତରେ ପୌଷ ମାଘ ମାସ, ଦେହରେ ରଖ ଶୀତବାସ ।
ଫାଲଗୁନ, ଚୈତ୍ର ବସନ୍ତରେ, ମୃଦୁ ମଳୟ ମନ ହରେ ।
ବାର ମାସର କଥା ଏହି, ହେଜ ବାଳକେ ମନ ଦେଇ ।


ବୃକ୍ଷ ବୀଜରୁ ଜାତ ହୁଏ । ବଟବୃକ୍ଷର ବୀଜ କେଡ଼େ କ୍ଷୁଦ୍ର । ଦେଖ, କେଡ଼େ କ୍ଷୁଦ୍ର ବୀଜରୁ କେଡ଼େ ବଡ଼ ବୃକ୍ଷ ଜନ୍ମେ । ସଂସାରରେ କେତେ ପ୍ରକାରର ବୃକ୍ଷ ଅଛି ! ବଟ, ଅଶ୍ବତ୍ଥ, ନାରିକେଳ, ଆମ୍ବ, ତାଳ, ଶାଳ, ପିଆଶାଳ, ଅସନ ପ୍ରଭୃତି ଶତ ଶତ ପ୍ରକାରର ବଡ଼ ବୃକ୍ଷ ଅଛି । ମାଧବୀ, ମାଳତୀ, ନିଆଳୀ, ଅପରାଜିତା ପ୍ରଭୃତି ଲଟାନ୍ତି; ଅର୍ଥାତ୍ ଲଟାଇ ଲଟାଇ ମାଡ଼ି ଯାଆନ୍ତି ବୋଲି ସେମାନଙ୍କୁ ଲତା କୁହାଯାଏ । ଶତ ଶତ ପ୍ରକାର ଲତା ଅରଣ୍ୟରେ ଦେଖାଯାଏ । ମନୁଷ୍ୟମାନେ ନାନାପ୍ରକାର ଚାଷ କରନ୍ତି; ଯଥା : ଆଖୁ, ଧାନ, ମୁଗ, ହରଡ଼, ଗହମ, ବୁଟ, ବିରି, ଯବ ଇତ୍ୟାଦି ।


ଆମ୍ଭ ଗ୍ରାମରେ କୃଷକମାନେ ସେମାନଙ୍କର ଧାନଜମିସବୁ ହଳକରି ସାରିଲେଣି । ଆଜି ଚାଷୀମାନେ ଧାନ ବୁଣିବେ । ଆସ ଦେଖିବାକୁ ଯିବା । ଯେଉଁ ଧାନ ବୁଣାଯାଏ, ତାକୁ ବିହନ କହନ୍ତି । ବିହନ ବୁଣିସାରି କୃଷକମାନେ ଜମି ଉପରେ ମଇ ଦେଇ ତାହାକୁ ସମତଳ କରିଦିଅନ୍ତି । ବିହନ ବୃଷ୍ଟିଜଳ ଓ ରୌଦ୍ର ପାଇ ପୁଷ୍ଟ ହୋଇ ଧାନଗଛ ହେବ । ଧାନ ଗଛରେ ଧାନ ଫଳିଲେ କୃଷକମାନେ ଆନନ୍ଦରେ ଧାନ ଅମଳ କରିବେ ।


ମତ୍ସମାନେ ଜଳରେ ବାସ କରନ୍ତି । ସେମାନଙ୍କୁ ଜଳରୁ କାଢ଼ି ଆଣିଲେ ସେମାନେ ଅଳ୍ପକ୍ଷଣ ମଧ୍ୟରେ ମରିଯିବେ । ମତ୍ସମାନଙ୍କର ପାଦ ନାହିଁ । ସେମାନଙ୍କର ଲାଞ୍ଜ ଓ ଡେଣା ଥିବାରୁ ସେମାନେ ଲାଞ୍ଜ ଓ ଡେଣା ସାହାଯ୍ୟରେ ସନ୍ତରଣ କରନ୍ତି । ଅଧିକାଂଶ ମତ୍ସମାନଙ୍କ ଦେହରେ କାତି ଥାଏ । ମତ୍ସମାନେ ଅଣ୍ଡା ବା ଡିମ୍ବରୁ ଜାତ ।


ତୁମ୍ଭେମାନେ ମହୁମାଛିମାନଙ୍କର ମହୁବସା ଦେଖିଅଛ କି ? ମହୁବସା ଭିତରେ କ୍ଷୁଦ୍ର କ୍ଷୁଦ୍ର କେତେ କୋଠରୀ ଅଛି । ସବୁ କୋଠରୀ ଗୁଡ଼ିକର ଆକାର ଓ ଆୟତନ ସମାନ । ମହୁମାଛିମାନେ ପୁଷ୍ପ ମାନଙ୍କରୁ ମଧୁ ଆଣି ସେହି କୋଠରୀ ମାନଙ୍କରେ ମଧୁ ସଞ୍ଚୟ କରନ୍ତି । ଦେଖ କିପରି କୌଶଳରେ ମଧୁଚକ୍ର ବା ମହୁବସା ନର୍ମିତ ହୋଇଅଛି । ମଧୁ ମିଷ୍ଟ ଓ ହିତକାରୀ । ମହୁମାଛିମାନେ ଅତ୍ୟନ୍ତ ପରିଶ୍ରମୀ । ମଧୁମକ୍ଷିକା ପରି ପରିଶ୍ରମ କର । ମହୁମାଛିମାନଙ୍କର ଛଅଟା ଗୋଡ଼, ଦୁଇଟି ଡେଣା ଓ ଅନେକଗୁଡାଏ ଚକ୍ଷୁ ଅଛି ।


ପକ୍ଷୀମାନେ କି ସୁନ୍ଦର ବସା ନର୍ମାଣ କରନ୍ତି ! କାଠି, କୁଟା, ଶୁଷ୍କପତ୍ର, ରୋମ ପ୍ରଭୃତି ନେଇ ପକ୍ଷୀମାନେ ତାହା ଦ୍ବାରା ବସା ନର୍ମାଣ କରନ୍ତି । ଏକ ଏକ ଜାତି ପକ୍ଷୀ ଭିନ୍ନ ଭିନ୍ନ ପ୍ରକାରର ବସା ନର୍ମାଣ କରନ୍ତି । ପକ୍ଷୀମାନେ ବସା ମଧ୍ୟରେ ଡିମ୍ବ ରଖି, ଡିମ୍ବଗୁଡ଼ିକ ବାରମ୍ବାର ଉଷୁମାଇଲେ ଡିମ୍ବମଧ୍ୟରୁ ପକ୍ଷୀଶାବକ ବାହାରନ୍ତି । ଶାବକମାନେ ଡିମ୍ବରୁ ବାହାରିଲାକ୍ଷଣି ଉଡ଼ିପାରନ୍ତି ନାହିଁ । ସେମାନଙ୍କର ବାପା ମା ସେମାନଙ୍କୁ ଅତି ଯତ୍ନରେ ଖୁଆଇ ରକ୍ଷା କରନ୍ତି । ଏହିପ୍ରକାର କ୍ରମେ କ୍ରମେ ସବଳ ହୋଇ ଶାବକମାନେ ଆକାଶରେ ଉଡ଼ିବାକୁ ଶିଖନ୍ତି ।